ଶ୍ରୀ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା -୨୦୧୯
ଶ୍ରୀ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା-୨୦୧୯:
ଏକ ବିହଙ୍ଗାବଲୋକନ
-ସୁରଭାଇ
“ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ।
ଅହଂ ତ୍ୱା ସର୍ବପାପେଭ୍ୟୋ
ମୋକ୍ଷୟିଷ୍ୟାମି ମା ଶୁଚ ।“ ୧୮/୬୬
ଭଗବାନଙ୍କ ମୁଖ ନିଶୃତ ଏହି ବାଣୀ ପ୍ରେରିତ କରିଛି ସମସ୍ତ ଓଡ଼ିଆଙ୍କୁ । ସେଇଥି ପାଇଁ
ସେମାନେ ଅଖଣ୍ଡ ବିଶ୍ୱାସ ସ୍ଥାପନ କରିଛନ୍ତି ତାଙ୍କର ଇଷ୍ଟ ଦିଅଁ, ତା’ ପ୍ରାଣର ପ୍ରାଣ ପ୍ରଭୁ ଜଗନ୍ନାଥଙ୍କ ଉପରେ । ସେ ତାକୁ ସମସ୍ତ ପାପରୁ ଉଦ୍ଧାର କରିବେ
ଏହି ଅଭୟବାଣୀ ଶୁଣିବା ପରେ ସେ କାହିଁକି ବା ଅନ୍ୟ କୁଆଡ଼େ ଖୋଜିବାକୁ ଯିବ । ସେଥିପାଇଁ ସେ ଗଭୀର
ଆତ୍ମସନ୍ତୋଷର ସହ ଗାଇ ଉଠେ- “ସକଳ ତୀର୍ଥ ତୋ ଚରଣେ । ବଦ୍ରିକା ଯିବି କି କାରଣେ ।।“
ଏଇଠି ପୂର୍ବ ସମୁଦ୍ର କୂଳେ ତା’ ଘର
ପାଖରେ ବସିଛନ୍ତି ମହାବାହୁ ପ୍ରସାରଣ କରି ଆଲିଙ୍ଗନ ମୁଦ୍ରାରେ ପ୍ରଭୁ ଜଗନ୍ନାଥ । ସଂସାରକୁ
ଶିକ୍ଷା ଦେଉଛନ୍ତି ତାଙ୍କ ଭଙ୍ଗିରେ,ରଙ୍ଗରେ, ବେଶରେ, ଯାନିଯାତ୍ରାରେ, ପର୍ବପର୍ବାଣୀରେ, ପୂଜା ପାର୍ବଣରେ, ଦୈନିକ ନୀତିରେ
ମହାନ ଐକ୍ୟ ସଂସ୍କୃତି “ବସୁଧୈବ କୁଟୁମ୍ବକମ୍” । ଏଇଠି ସର୍ବଧର୍ମ ସମନ୍ୱୟର ବାର୍ତ୍ତା ପ୍ରଚାର
କରି ସେ କହୁଛନ୍ତି ପୃଥିବୀବାସୀ ନୁହଁନ୍ତି ସାରା ବିଶ୍ୱବାସୀ ଭାଇ ଭାଇ । ତାଙ୍କରି ସଂସ୍କୃତି
ବିଶ୍ୱ ସଂସ୍କୃତି । ତାଙ୍କରି ସଂସ୍କୃତି ଜୀବନ ସଂସ୍କୃତି । ତାକୁଇ ମାନି ଚଳିଲେ ସାରା ସଂସାର
ବୈକୁଣ୍ଠ ପାଲଟି ଯିବ । ସେ ବୈକୁଣ୍ଠବାସୀ । ମର୍ତ୍ତ୍ୟକୁ ବୈକୁଣ୍ଠ ରୂପେ ଗଢ଼ି ତୋଳିବାକୁ
ତାଙ୍କରି ସଂସ୍କୃତି ଯେ ସମର୍ଥ ଏକଥା ପ୍ରତିଟି ଓଡ଼ିଆ ଜାଣିଛି । ଜାଣିଛି ବୋଲି ତ ଓଡ଼ିଆ ଘରର
ପରଂପରା,
ଖାଦ୍ୟ ପାନୀୟ, ଆଚାର ବ୍ୟବହାର, ପର୍ବପର୍ବାଣୀ, ଯାନିଯାତ୍ରା, ବିବାହ ମହୋତ୍ସବ
ସବୁ ଜଗନ୍ନାଥ ମୟ । ଜଗନ୍ନାଥ ଯାହା କରନ୍ତି ଓଡ଼ିଆ ତାହା କରେ, ଜଗନ୍ନାଥ ଯାହା ଖାଆନ୍ତି ଓଡ଼ିଆ ତାହା ଖାଏ, ଜଗନ୍ନାଥ ଯାହା ପିନ୍ଧନ୍ତି ଓଡ଼ିଆ ତାହା ପିନ୍ଧେ । ଜନ୍ମରୁ ମୃତ୍ୟୁ ଯାଏଁ ଜଗନ୍ନାଥ ଓ
ଜଗନ୍ନାଥ । ଜଗନ୍ନାଥ ବିନା ଓଡ଼ିଆର ନାହିଁ ଅନ୍ୟ କିଛି ପରିଚୟ ।
ସେଇଥି ପାଇଁ ସେଇ ବିଶ୍ୱାସ ନେଇ ଓଡ଼ିଆ ଯେତେବେଳେ ସେହି କଥା ଅନ୍ୟପାଖରେ ବଖାଣି ବସେ ସେ
ପାଲଟି ଯାଏ ଚାରଣ । ସେହି ଚାରଣର ଅଖଣ୍ଡ ବିଶ୍ୱାସ ତା ପ୍ରଭୁ ଉପରେ, ତା ପ୍ରଭୁର ସଂସ୍କୃତି ଉପରେ । ଖାସ ସେଇଥି ପାଇଁ ପଣ୍ଡିତ ସଦାଶିବ ରଥଶର୍ମାଙ୍କ ନେତୃତ୍ୱରେ
ଗୋପାଳ ଭାଇ, ଶରତଭାଇ, ହରିଭାଇ ଓ
ଗୋବିନ୍ଦଭାଇଙ୍କ ପରି ମହାମନୀଷୀମାନେ ଚାରଣଗୋଷ୍ଠୀ ପରି ଏକ ସାମାଜିକ ଓ ଆଧ୍ୟାତ୍ମିକ ସଂଗଠନ
ଜରିଆରେ ତାଙ୍କରି ସଂସ୍କୃତିର ପ୍ରଚାର ପ୍ରସାର କରି ମଣିଷକୁ ଆନନ୍ଦରେ ବଂଚିବାର ତରିକା
ଶିଖାଉଛନ୍ତି ସୁସ୍ଥ ସମାଜ ଗଠନ କରିବାର ସ୍ୱପ୍ନକୁ ସାକାର କରିବା ନିମନ୍ତେ ଲାଗିଛନ୍ତି ୧୯୭୦
ମସିହାରୁ ଆଜି ଯାଏଁ । ତେବେ ସମାଜର ତଥା ଦେଶର ଭବିଷ୍ୟତ ହେଉଛନ୍ତି ପିଲାମାନେ । ଆଜିକାର ଏ ମୋବାଇଲ ଟିଭି ଯୁଗରେ
ଏହି ମୋବାଇଲ ଟିଭି ପିଲାଙ୍କୁ ଏପରି ବିକୃତ ସଂସ୍କୃତିର ମୋହରେ ମୋହାଛନ୍ନ କରି ରଖୁଛି ଯେ
ପିଲାଟିଏ କିଛି ବୁଝି ନିଜେ ଜାଣି ନିର୍ଣ୍ଣୟ ନେବା ଅବସ୍ଥାକୁ ଆସିଲା ବେଳକୁ ଭୁଲି ଯାଇଥାଏ ତା
ମହାର୍ଘ ସଂସ୍କୃତି ତଥା ହୁଡ଼ି ଯାଇଥାଏ ତା ପୂର୍ବ ପୁରୁଷମାନଙ୍କର ପ୍ରଦର୍ଶିତ ମହାନ ପଥ, ଆର୍ଯ୍ୟ ପଥ ତଥା ସତ୍ୟର ପଥକୁ । ଏହି ପଥ ହୁଡ଼ାମାନଙ୍କୁ ବିପଥରୁ ସୁପଥକୁ ଫେରେଇ ଆଣିବା
କେତେ ଯେ କଷ୍ଟକର କାମ ତାହା ସେହି ପିଲାମାନଙ୍କର ପିତାମାନେ ଜାଣନ୍ତି ଅତି ନିବିଡ଼ ଭାବରେ ।
ଏଣୁ ଏହି ପିଲାମାନେ ବିପଥଗାମୀ ହେବା ପୂର୍ବରୁ ସେମାନଙ୍କୁ ଆର୍ଯ୍ୟ ପଥ ତଥା ଆର୍ଯ୍ୟ
ସଂସ୍କୃତିର ଏକ ଝଲକ ଦେଖାଇ ଏହା ପ୍ରତି ଆକର୍ଷିତ କରି ସୁପଥରେ ଚାଲିବାର ପ୍ରେରଣା ଦେବାର
ଲକ୍ଷ୍ୟରେ ୨୦୧୭ ମସିହାରୁ ଚାରଣଗୋଷ୍ଠୀ ହାତକୁ ନେଇଛି ଏକ ଅଭିନବ ପଦକ୍ଷେପ ତଥା କରିଛି ଏକ
ମହତ୍ତ୍ୱାକାଂକ୍ଷୀ ପ୍ରୟାସ । ସେହି ପଦକ୍ଷେପ ଓ ପ୍ରୟାସର ନାମ “ଶ୍ରୀ ଜଗନ୍ନାଥ ସଂସ୍କୃତି
ଜ୍ଞାନ ପରୀକ୍ଷା” ।
ଏହି କାର୍ଯ୍ୟକ୍ରମର ଆରମ୍ଭ ହୁଏ ଚାରଣ ଭାଇମାନଙ୍କ ବିଦ୍ୟାଳୟ ଅନୁସନ୍ଧାନରୁ । ଓଡ଼ିଶା ସାରା
ବିଛେଇ ହୋଇ ରହିଥିବା ଚାରଣ ଗୋଷ୍ଠୀର ୨୦୦ରୁ ଅଧିକ ଶାଖାର ଚାରଣମାନେ ନିକଟସ୍ଥ ବିଦ୍ୟାଳୟକୁ ଯାଇ
ସେମାନଙ୍କ ପ୍ରଧାନ ଶିକ୍ଷକମାନଙ୍କ ସହ ଯୋଗାଯୋଗ କରି ପିଲାମାନଙ୍କୁ ଓ ଶିକ୍ଷକମାନଙ୍କୁ ଏକତ୍ର
ବସାଇ ଜଗନ୍ନାଥଙ୍କ କଥା କହନ୍ତି ଏକ ବୈଠକରେ । ସେମାନେ କୁହନ୍ତି-ଜଗନ୍ନାଥ ସଂସ୍କୃତି କ’ଣ? ଜଗନ୍ନାଥଙ୍କ ସଂସ୍କୃତି ହିଁ ଓଡ଼ିଆ ସଂସ୍କୃତି ତଥା ଜଗନ୍ନାଥଙ୍କ ବିନା କିପରି ଓଡ଼ିଆର ପରିଚୟ
ନାହିଁ?
ଜନ୍ମରୁ ମୃତ୍ୟୁ ଯାଏଁ ଜଗନ୍ନାଥଙ୍କ ସହ ଓଡ଼ିଆ କିପରି ଜଡ଼ିତ? ଜଗନ୍ନାଥଙ୍କ ସଂପର୍କୀୟ ଜ୍ଞାନ କିପରି ସଂପ୍ରତି ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷାର
ବିଷୟବସ୍ତୁ ପାଲଟି ଯାଇଛି? ଇତ୍ୟାଦି ଇତ୍ୟାଦି
କଥା । ଏହାର ଅବତାରଣା ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ଉପରେ ଏକ ଜାତୀୟ ଅସ୍ମିତାର ଛାପ ଛାଡ଼େ
। “ସ୍ୱଧର୍ମେ ନିଧର୍ମ ଶ୍ରେୟ” ଏ କଥା ସେ ବୁଝେ । ଫଳରେ ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିବା
ନିମନ୍ତେ ସେମାନଙ୍କ ମନରେ ଏକ ଜାତୀୟ ତଥା ଧର୍ମୀୟ ଆବେଗ ସୃଷ୍ଟି ହୁଏ । ତାପରେ ଏ ସଂମ୍ପର୍କରେ
ଅଧିକ ଜାଣିବା ନିମନ୍ତେ ଓ ଜାତୀୟ ସ୍ତରରେ ଆୟୋଜିତ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା
ନିମନ୍ତେ ଫର୍ମ ପୂରଣ କରିବା ପାଇଁ ସେମାନଙ୍କୁ ଆହ୍ୱାନ କରାଯାଏ ।
ପ୍ରତି ବିଦ୍ୟାଳୟରେ
ଶିକ୍ଷକମାନଙ୍କ ମଧ୍ୟରୁ ଅଧିକ ଆଗ୍ରହୀ ଜଣେ ଶିକ୍ଷକଙ୍କୁ ଶିକ୍ଷକ ସଂଯୋଜକ ହିସାବରେ ଚୟନ କରି
ତାଙ୍କୁ ଆମ ସହିତ ସଂଶ୍ଲିଷ୍ଟ କରିବା ପାଇଁ ପ୍ରୟାସ କରାଯାଏ । ତତ୍ ସହିତ ଜଣେ
ଛାତ୍ର/ଛାତ୍ରୀଙ୍କୁ ଛାତ୍ର/ଛାତ୍ରୀ ସଂଯୋଜକ ଭାବେ ଚୟନ କରି ତାଙ୍କ ଠାରୁ ବିବରଣୀ ଫର୍ମ ସଂଗ୍ରହ
କରାଯାଏ ।
ପରୀକ୍ଷା ନିମନ୍ତେ
ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ଠାରୁ ଜଣପିଛା ମାତ୍ର ଟ୧୦.୦୦ଙ୍କା ପରୀକ୍ଷା ଫିସ
ହିସାବରେ ଗ୍ରହଣ କରାଯାଏ । ଓ ପରୀକ୍ଷା ଗାଇଡ଼ ଭାବରେ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା
ପ୍ରଶ୍ନ ଭଣ୍ଡାର ନାମକ ଏକ ପୁସ୍ତକ ତାଙ୍କୁ ପ୍ରଦାନ କରାଯାଏ । ଏଥିରେ ପ୍ରଭୁ ଜଗନ୍ନାଥଙ୍କ
ସଂପର୍କୀୟ ଏକ ପ୍ରବନ୍ଧ ତଥା ୧୦୬୮ଟି ପ୍ରଶ୍ନ ଉତ୍ତର ସହ ସନ୍ନିବେଶିତ ହୋଇଛି ।
୨୧୦୭ ମସିହାରୁ
ଆରମ୍ଭ ହୋଇଥିବା ଏହି ପରୀକ୍ଷାରେ ପ୍ରଥମ ବର୍ଷ ୫୦୦୦ରୁ ଉର୍ଦ୍ଦ୍ୱ ପରୀକ୍ଷାର୍ଥୀ ପରୀକ୍ଷା
ନିମନ୍ତେ ପଞ୍ଜିକୃତ ହୋଇଥିବା ବେଳେ ଦ୍ୱିତୀୟବର୍ଷ ପଶ୍ଚିମ ବଂଗର ୨୦ଟି ବିଦ୍ୟାଳୟ ସମେତ ସଡ଼ିଶାର
୩୦ଟି ଜିଲ୍ଲାରୁ ୧୧୦୦୦ରୁ ଉର୍ଦ୍ଦ୍ୱ ପରୀକ୍ଷାର୍ଥୀ ପରୀକ୍ଷା ନିମନ୍ତେ ପଞ୍ଜିକୃତ ହୋଇଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି ସମ୍ପର୍କୀୟ ଏହି ପରୀକ୍ଷା ଏକ ତ୍ରୀସ୍ତରୀୟ ପରୀକ୍ଷା ।
ପ୍ରଥମେ ବିଦ୍ୟାଳୟ ସ୍ତରରେ ଏହି ପରୀକ୍ଷା ୫୦ ମାର୍କର ମଲ୍ଟିପୁଲ ଚଏସ ବିଶିଷ୍ଟ ପ୍ରଶ୍ନ ପତ୍ର
ତିନୋଟି ସେଟରେ ଆସେ, ଯାହାକୁ ପିଲାମାନେ
ଓ.ଏମ.ଆର. ସିଟରେ ବୃତ୍ତକଳା କରି ଉତ୍ତର ଦିଅନ୍ତି ।
ଚଳିତ ବର୍ଷ ତା
୦୮.୦୯.୨୦୧୯ ରିଖ ରବିବାର ଦିନ ଓଡ଼ିଶାର ୩୦ଟି ଜିଲ୍ଲା ସମେତ ଗୁଜୁରାଟର ସୁରାଟ ସହରର ୭ଟି ଓଡ଼ିଆ
ବିଦ୍ୟାଳୟର ୫୦୮ ଜଣ ପରୀକ୍ଷାର୍ଥୀ ରାଜେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ପରୀକ୍ଷା ଦେଇଥିବା
ବେଳେ ପଶ୍ଚିମବଙ୍ଗର କଲିକତାର ବାଲି ଜିଲ୍ଲାର ୧୨୧ ଜଣ ପରୀକ୍ଷାର୍ଥୀ ଡ଼.ଭକ୍ତ ରଂଜନ ପରିଜା ଓ
ବିଶ୍ୱମ୍ଭର ପରିଡ଼ାଙ୍କ ନେତୃତ୍ୱରେ ପରୀକ୍ଷା ଦେଇଛନ୍ତି ।
ଓଡ଼ିଶାରେ ଅନୁଗୁଳ ଜିଲ୍ଲାରେ ଡ଼ା.ରବୀନ୍ଦ୍ର କୁମାର ଜେନାଙ୍କ ନେତୃତ୍ୱରେ ତିନୋଟି
କେନ୍ଦ୍ରରେ ୨୦୦ଜଣ, ବୈାଦ୍ଧ ଜିଲ୍ଲାରେ
ସଦାନନ୍ଦ ସାହୁ, ନିରଂଜନ ପ୍ରଧାନ, କବିରାଜ ସାହୁ ଓ ଦିଲ୍ଲୀପ ଲୋଇଙ୍କ ନେତୃତ୍ୱରେ ପ୍ରତ୍ୟେକେ ଗୋଟିଏ ଲେଖାଏଁ କେନ୍ଦ୍ରରେ ମୋଟ
୯୩ ଜଣ,
ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ୪ଟି କେନ୍ଦ୍ରରେ ୪୦୦ଜଣ, ବଲାଙ୍ଗୀର ଜିଲ୍ଲାରେ ୨ଟି କେନ୍ଦ୍ରରେ ପ୍ରଣବ ବଲ୍ଲଭ ପାତ୍ରଙ୍କ ନେତୃତ୍ୱରେ ୫୫ ଜଣ, ବରଗଡ଼ ଜିଲ୍ଲାରେ ଡ଼ା. ରବୀନ୍ଦ୍ର କୁମାରେ ଜେନା ଓ ନରାୟଣ ନନ୍ଦଙ୍କ ନେତୃତ୍ୱରେ ୨ଟି
କେନ୍ଦ୍ରରେ ୧୫୦ ଜଣ, ବାଲେଶ୍ୱର
ଜିଲ୍ଲାରେ ରମଣୀ ରଂଜନ ନାୟକଙ୍କ ନେତୃତ୍ୱରେ ୧୨ଟି କେନ୍ଦ୍ରରେ ୬୯୨ ଜଣ, ଭଦ୍ରକ ଜିଲ୍ଲାରେ ହେମନ୍ତ ସୁତାରଙ୍କ ନେତୃତ୍ୱରେ ୨୨ଟି କେନ୍ଦ୍ରରେ ୮୫୦ ଜଣ, ଉକ୍ତ ଜିଲ୍ଲାରେ ସନାତନ ପାଣିଗ୍ରାହୀ ଓ ସରେଶ ନାୟକଙ୍କ ନେତୃତ୍ୱରେ ଦୁଇଟି କେନ୍ଦ୍ରରେ ୧୨୦
ଜଣ,
କଟକ ଜିଲ୍ଲାରେ କୃଷ୍ଣ ଚନ୍ଦ୍ର କାମଳାଙ୍କ ନେତୃତ୍ୱରେ ୬ଟି
କେନ୍ଦ୍ରରେ, ଅଶୋକ ଗିରିଙ୍କ
ନେତୃତ୍ୱରେ ୬ଟି ଓ ଶୁଭେନ୍ଦୁ ଶେଖର ସ୍ୱାଇଁଙ୍କ ନେତୃତ୍ୱରେ ୩୫ଟି କେନ୍ଦ୍ରରେ ମୋଟ ୩୧୦୬ ଜଣ, ଡ଼ା.ରବୀନ୍ଦ୍ର କୁମାର ଜେନାଙ୍କ ନେତୃତ୍ୱରେ ଦେବଗଡ଼ ଜିଲ୍ଲାରେ ଗୋଟିଏ କେନ୍ଦ୍ରରେ ୩୦ ଜଣ, ଢ଼େଙ୍କାନାଳ ଜିଲ୍ଲାରେ ୧୫ଟି କେନ୍ଦ୍ରରେ ଅରୁଣ ପୁହାଣଙ୍କ ନେତୃତ୍ୱରେ ୫୬୧ ଜଣ, ପ୍ରଭାତ କୁମାର ପଣ୍ଡା, ଶିବରାମ ମହାରଣା, ଦୁର୍ଯ୍ୟୋଧନ ଦାସ, ନୃସିଂହ ନାତ
ପ୍ରଧାନ ଓ କାଶିନାଥ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାରେ ୫୦୯ ଜଣ, ଯାଜପୁର ଜିଲ୍ଲାରେ ରବୀନ୍ଦ୍ର କୁମାର ସାହୁ୧୧ଟି ରଘୁନାଥ ନାୟକ ୪ଟି ଦୁଃଖିଶ୍ୟାମ ଦୋରା ୯ଟି
ଅନନ୍ତ ଚରଣ ସାହୁ ୪ଟି କାହ୍ନୁ ଚରଣ ସାହୁ ୨୦ଟି ଡ଼ା. ରବୀନ୍ଦ୍ର କୁମାର ଜେନା୧୦ଟି ଓ କାମଦେବ
ଦାଶ ୧୩ଟି କେନ୍ଦ୍ରରେ ମୋଟ ୩୪୧୭ ଜଣ, ଖୋର୍ଦ୍ଧା ଜିଲ୍ଲାରେ ନିଶାମଣୀ ସାହୁଙ୍କ ନେତୃତ୍ୱରେ ୫ଟି, ଚନ୍ଦନ ରାଉତରାୟଙ୍କ ନେତୃତ୍ୱରେ ୧୦ଟି, ଗୋପୀନାଥ ଦାଶ ୧ଟି, କୈଳାଶ ଜେନାଙ୍କ
ନେତୃତ୍ୱରେ ୪ଟି ଓ ଶୁଭେନ୍ଦୁ ଶେଖର ସ୍ୱାଇଁଙ୍କ ନେତୃତ୍ୱରେ ୨ଟି କେନ୍ଦ୍ରରେ ମୋଟ ୯୪୭ ଜଣ,କେନ୍ଦୁଝର ଜିଲ୍ଲାରେ ତପନ କୁମାର ନାୟକଙ୍କ ନେତୃତ୍ୱରେ ୫ଟି କେନ୍ଦ୍ରରେ ୩୧୭ ଜଣ, କନ୍ଧମାଳ ଜିଲ୍ଲାରେ କବିରାଜ ଚୈାଧୂରୀ ୭ଟି ଓ ଶରତ ଚନ୍ଦ୍ର ସାହୁଙ୍କର ୪ଟି କେନ୍ଦ୍ରରେ ମୋଟ
୫୧୭ ଜଣ,
କୋରାପୁଟ ଜିଲ୍ଲାରେ ଡ଼ା. ସୁଜାତା ପାଳଙ୍କ ନେତୃତ୍ୱରେ ୫ଟି
କେନ୍ଦ୍ରରେ ୩୮୯ ଜଣ, କେନ୍ଦ୍ରାପଡ଼ା
ଜିଲ୍ଲାରେ ଡ଼ା. ରବୀନ୍ଦ୍ର କୁମାର ଜେନାଙ୍କ ନେତୃତ୍ୱରେ ୮ଟି, ବିରଂଚି ନାରାୟଣ ଦାଶଙ୍କ ନେତୃତ୍ୱରେ ୧୦ଟି ଓ କୃଷ୍ଣ କାମଳାଙ୍କ ନେତୃତ୍ୱରେ ୧ଟି
କେନ୍ଦ୍ରରେ ମୋଟ ୬୮୫ ଜଣ, ମାଲକାନଗିରୀ
ଜିଲ୍ଲାରେ ଡ଼ା.ସୁଜାତା ପାଳଙ୍କ ନେତୃତ୍ୱରେ ୨ଟି କେନ୍ଦ୍ରରେ ୩୯ ଜଣ, ମୟୁରଭଞ୍ଜ ଜିଲ୍ଲାରେ ରମଣୀ ରଂଜନ ନାୟକଙ୍କ ୮ଟି କେନ୍ଦ୍ରରେ ଓ ଶୁନ୍ଦେୁନ୍ଦୁ ଶେଖର
ସ୍ୱାଇଁଙ୍କ ନେତୃତ୍ୱରେ ୧ଟି କେନ୍ଦ୍ରରେ ମୋଟ ୩୯୧ ଜଣ, ନବରଙ୍ଗ ପୁର ଜିଲ୍ଲାରେ ଡ଼ା.ସୁଜାତା ପାଳଙ୍କ ନେତୃତ୍ୱରେ ୧ଟି କେନ୍ଦ୍ରରେ ୭୯ଜଣ, ନୂଆପଡ଼ା ଜିଲ୍ଲାରେ ପ୍ରଣବ ବଲ୍ଲଭ ପାତ୍ରଙ୍କ ନେତୃତ୍ୱରେ ୨ଟି କେନ୍ଦ୍ରରେ ୭୦ ଜଣ, ନୟାଗଡ଼ ଜିଲ୍ଲାରେ ରାମକୃଷ୍ଣ ସାହୁ ୫ଟି ,ଅରକ୍ଷିତ ପାଣିଗ୍ରାହୀ ୩ଟି ବନମାଳୀ ସାହୁ ୬ଟି ବ୍ରଜ କିଶୋର ମହାପାତ୍ର ୫ଟି ହରିହର ସାହୁ
୩ଟି ଶୁକ ମହାରଣା ୧ଟି ଆନନ୍ଦ ପରିଡ଼ା ୨ଟି ଗୋଦାବରୀ ବସନ୍ତିଆଙ୍କ ନେତୃତ୍ୱରେ ୧ଟି ସୁରେଶ
ଚନ୍ଦ୍ର ବରାଡ଼ଙ୍କ ନେତୃତ୍ୱରେ ୯ଟି କେନ୍ଦ୍ରରେ ମୋଟ୧୫୦୫ଜଣ, ପୁରୀ ଜିଲ୍ଲାରେ ମୁରଲୀଧର ଦାଶଙ୍କ ନେତୃତ୍ୱରେ ୩ଟି କେନ୍ଦ୍ରରେ ୧୫୫ ଜଣ, ରାୟଗଡ଼ା ଜିଲ୍ଲାରେ ୮ଟି କେନ୍ଦ୍ରରେ ନାରାୟଣ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ୯୭ ଜଣ, ସମ୍ବଲପୁର
ଜିଲ୍ଲାରେ ଡ଼ା. ରବୀନ୍ଦ୍ର କୁମାର ଜେନାଙ୍କ ନେତୃତ୍ୱରେ ୧ଟି କେନ୍ଦ୍ରରେ ୭୦ ଜଣ, ନାରାୟଣ ନନ୍ଦଙ୍କ ନେତୃତ୍ୱରେ ସୋନପୁର ଜିଲ୍ଲାରେ ୧ଟି କେନ୍ଦ୍ରରେ ୬୦ ଜଣ, ସୁନ୍ଦର ଗଡ଼ ଜିଲ୍ଳାରେ ବିଷ୍ଣୁ ମହାପାତ୍ରଙ୍କ ନେତୃତ୍ୱରେ ୧ଟି କେନ୍ଦ୍ରରେ ୮୮ ଜଣ ଓ
ନିରଞ୍ଜନ କରଣଙ୍କ ନେତୃତ୍ୱରେ ୧୦ଟି କେନ୍ଦ୍ରରେ ୩୪୫ ଜଣ ପରୀକ୍ଷାର୍ଥୀଙ୍କ ସମେତ ମୋଟ ୧୬୯୪୧ ଜଣ
ପରୀକ୍ଷାର୍ଥୀ ଶ୍ରୀ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଦେବାକୁ ନାମ ପଞ୍ଜିକରଣ କରି ପରୀକ୍ଷା
ଦେଇଛନ୍ତି ।
ଚଳିତ ବର୍ଷ ଏହି ପରୀକ୍ଷା ନିମନ୍ତେ
ତ୍ରୀସ୍ତରୀୟ ସ୍କ୍ୱାର୍ଡ଼ ବ୍ୟବସ୍ଥା କରାଯାଇଥିଲା । ବିଦ୍ୟାଳୟ ସ୍ତରରେ ବିଦ୍ୟାଳୟର ପ୍ରଧାନ
ଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିକ୍ଷା ପରିଚାଳନା କରିଥିବା ବେଳେ ଜଣେ ଜଣେ
ଚାରଣ ପର୍ଯ୍ୟବେକ୍ଷକଙ୍କୁ କେନ୍ଦ୍ର ପର୍ଯ୍ୟବେକ୍ଷଣ ପାଇଁ ନିଯୁକ୍ତି ଦିଆ ଯାଇଥିଲା । ଅଞ୍ଚଳ
ଭିତ୍ତିରେ ଜଣେ ଜଣେ ଚାରଣଙ୍କୁ ୫/୭ଟି ଲେଖାଏଁ କେନ୍ଦ୍ର ବୁଲି ପରୀକ୍ଷା ତଦାରଖ କରିବା ପାଇଁ
ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ସ୍ତରରେ ମଧ୍ୟ ସ୍କ୍ୱାର୍ଡ଼ ବ୍ୟବସ୍ଥା କରାଯାଇଥିଲା ।
ରାଜ୍ୟ ସ୍ତରରେ ଶ୍ରୀମନ୍ଦିରର
ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁଦର୍ଶନ ପୂଜାପଣ୍ଡା ପର୍ଯ୍ୟବେକ୍ଷକ ଦାୟିତ୍ୱ ଗ୍ରହଣ କରି କଟକ ଜିଲ୍ଲାର
ସମସ୍ତ କେନ୍ଦ୍ର ବୁଲି ଦେଖିଥିଲେ । କଟକ ଜିଲ୍ଲାରେ ଶୁଭେନ୍ଦୁ ଭାଇଙ୍କର ବ୍ୟବସ୍ଥିତ ପରୀକ୍ଷା
କାର୍ଯ୍ୟକ୍ରମ ତାଙ୍କୁ ଅଭିଭୂତ କରିଥିଲା ।
ପୁରୀରୁ ମୁଖ୍ୟ ସଂଯୋଜକ ତଥା ଚାରଣ ଗୋଷ୍ଠୀର ସହ ସଂପାଦକ ଗୋବିନ୍ଦ ଚନ୍ଦ୍ର ବେହେରା
ପରୀକ୍ଷା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।
ଚାରଣ ଗୋଷ୍ଠୀର ଦଳପତି ଡ଼ା.ଗୋପାଳ ଚନ୍ଦ୍ର ରଥ ଓ ଉପଦଳପତି ଡ଼. ଶରତ ଚନ୍ଦ୍ର ପାତ୍ର
ସ୍ୱତନ୍ତ୍ର ଭାବେ ପରୀକ୍ଷା କାଯ୍ୟକ୍ରମର ତଦାରଖ କରିଥିଲେ ।
ଦ୍ୱିତୀୟ ସ୍ତରରେ ଜିଲ୍ଲା ସ୍ତରୀୟ
ପରୀକ୍ଷା ପ୍ରତି ଜିଲ୍ଲାରେ ବିଦ୍ୟାଳୟ ସ୍ତରୀୟ ପରୀକ୍ଷାର ପରୀକ୍ଷାଫଳ ବାହାରିବା ପରେ କରାଯିବ ।
ଏଥିରେ ପ୍ରତି ବିଦ୍ୟାଳୟର ପ୍ରଥମ ସ୍ଥାନ ଅଧିକାର କରିଥିବା ପରୀକ୍ଷାର୍ଥୀକୁ ଭାଗ ନେବା ପାଇଁ
ଅନୁମତି ଦିଆଯିବ ।
ଶେଷରେ ଜାତୀୟ ସ୍ତରୀୟ ପରୀକ୍ଷା ପୁରୀ ଠାରେ ଆୟୋଜିତ ହେବ । ସେଥିରେ ପ୍ରତି ଜିଳ୍ଲାରୁ ଓ
ରାଜ୍ୟରୁ ଚୟନ ହୋଇଥିବା ପରୀକ୍ଷାର୍ଥୀ ଭାଗ ନେବାର ବନ୍ଦୋବସ୍ତ କରାଯିବ । ପ୍ରତି ବର୍ଷ ଭଳି
ତାହା ପାଞ୍ଚ ରାଉଣ୍ଡ ବିଶିଷ୍ଟ ହେବ । ଯଥା- ଲିଖିତ, ଦୃଶ୍ୟ,ଶ୍ରାବ୍ୟ,ପାସ ରାଉଣ୍ଡ, କ୍ୱିକ୍ ରାଉଣ୍ଡ ଓ
ସଡ଼ନ ଡ଼େଥ୍ ରାଉଣ୍ଡ । ଏଥିରେ ଶ୍ରେଷ୍ଠ ବିବେଚିତ ପ୍ରଥମ ତିନି ଜଣଙ୍କୁ ସ୍ୱତନ୍ତ୍ର ଭାବେ ଅର୍ଥ ଓ
ଉପଢ଼ୈାକନ ଦେଇ ପୁରସ୍କୃତ କରାଯିବ ତଥା ସମସ୍ତ ପ୍ରତିଯୋଗୀଙ୍କୁ ଉପଢ଼ୈାକନ ଓ ମାନପତ୍ର ଦ୍ୱାରା
ପୁରସ୍କୃତ କରାଯିବ । ଆବଶ୍ୟକ ସ୍ଥଳେ ଦୂରଦୂରାନ୍ତରୁ ଆସିଥିବା ପରୀକ୍ଷାର୍ଥୀ ମାନଙ୍କୁ ଗ୍ରସ୍ତ
ଖର୍ଚ୍ଚ ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉଛି । ଚାରଣ ଗୋଷ୍ଠୀର ଏ ମହାନ କାର୍ଯ୍ୟକ୍ରମ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ଏହାକୁ ଏକ
ସାଂସ୍କୃତିକ ବିପ୍ଳବରେ ରୂପାନ୍ତରିତ କରିବା ପାଇଁ ଚାରଣଗୋଷ୍ଠୀର ପ୍ରଚେଷ୍ଟା ପ୍ରଭୁ
ଜଗନ୍ନାଥଙ୍କ କୃପାରୁ ଯେ ସଫଳ ହେବାକୁ ଯାଉଛି, ଏହା ପ୍ରମାଣ ସିଦ୍ଧ ।
ପ୍ରଭୁ ଜଗନ୍ନାଥ ତାଙ୍କରି ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ସାମର୍ଥ୍ୟ ପ୍ରଦାନ
କରନ୍ତୁ ତାଙ୍କରି ପଦକଞ୍ଜରେ ଏତିକି ପ୍ରାର୍ଥନା ।
ଆସନ୍ତୁ ଆମେ ପ୍ରଭୁଙ୍କର ମୁଖ ନିସୃତ ବାଣୀ-
“କର୍ମଣ୍ୟେ ୱାଧିକାରସ୍ତେ ମା ଫଲେଷୁ କଦା ଚ ନ ।”
ବାକ୍ୟଟିକୁ ଜୀବନରେ ଲଗାଇବା ଆଉ ବାକି ତାଙ୍କ ଉପରେ ଛାଡ଼ିଦେବା । ଜୟ ଜଗନ୍ନାଥ ।
Comments
Post a Comment